Sunday, July 5, 2020

ପୁତ୍ର - କନ୍ୟା , son- daughter, बेटा -बेटी






ପୁରୋହିତ କାମଦେବ କାଶୀପୁର ଗ୍ରାମନିବାସୀ ଅଟନ୍ତି । ସେ ଦୁଇଟି କନ୍ୟା ସନ୍ତାନର ଜନକ ହୋଇଥିବାରୁ, ପୁତ୍ରର ଅଭାବ ଜନିତ ଦୁଃଖ ତାଙ୍କୁ ସବୁବେଳେ ଘାରୁଥାଏ ।

                ଥରେ ନିକଟସ୍ଥ କୋଦଣ୍ଡପୁର ଗ୍ରାମର ପୁରୋହିତ ବାମଦେବ ତାଙ୍କ ଗ୍ରାମକୁ ଏକ ବିବାହ-ଉତ୍ସବ ଅବସରରେ ଆସିଥାନ୍ତି । ସେ କାମଦେବଙ୍କ ଘରେ ଅବସ୍ଥାନ କରୁଥାନ୍ତି । କାମଦେବ ସେହି ସମୟରେ ନିଜ ମନର ଦୁଃଖ ତାଙ୍କ ଆଗରେ ପ୍ରକାଶ କଲେ ।

             
  ବାମଦେବ ତାଙ୍କୁ ଏକ ପରାମର୍ଶ ଦେଇ କହିଲେ, “ଆମ ଗ୍ରାମର ଗ୍ରାମଦେବୀ ହେଉଛନ୍ତି ମା’ ଅମ୍ବିକା । ଉତ୍ସବ ସମୟରେ ତାଙ୍କ ମନ୍ଦିର ସମ୍ମୁଖସ୍ଥ ଅଗ୍ନିକୁଣ୍ଡ ଉପରେ, ମଥାରେ ପୂଜାକଳସୀ ରଖି, ପାଦରେ ଚାଲିଚାଲି ଯାଇ ଯିଏବି ତାଙ୍କର ଦର୍ଶନ କରିବ, ଦେବୀ ତାଙ୍କୁ ମନୋବଂଛିତ ସନ୍ତାନ ପ୍ରଦାନ କରନ୍ତି । ଏଥିପାଇଁ ପ୍ରଥମେ ମନ୍ଦିରର ପୂଜକଙ୍କଠାରୁ ଅନୁମତି ପାଇବା ଦରକାର । ଅବଶ୍ୟ ଦେବୀଙ୍କର ପ୍ରକୃତ ଭକ୍ତ ହୋଇଥିଲେ, ଯେ କୌଣସି ବ୍ୟକ୍ତିଙ୍କୁ ଅନୁମତି ମିଳିବାରେ କିଛି ଅସୁବିଧା ହୁଏ ନାହିଁ । ଏହି ଉତ୍ସବ ଗୋକୁଳାଷ୍ଟମୀ ପରେ ପଡୁଥିବା ଦଶମୀ ତିଥିରେ ଅନୁଷ୍ଠିତ ହୁଏ । ମୋର ମଧ୍ୟ ଦୁଇଟି କନ୍ୟା ଥିଲେ । ଏବେ ମା’ ଅମ୍ବିକାଙ୍କ କୃପାରୁ, ଅଗ୍ନିକୁଣ୍ଡ ଉପରେ ଚାଲିବାରୁ, ପୁତ୍ରଟିଏ ହୋଇଛି ।”

                ତାଙ୍କ କଥା ଶୁଣିବା ପରେ କାମଦେବ ସ୍ଥିର କଲେ, ସେ ମଧ୍ୟ କୋଦଣ୍ଡପୁର ଯାଇ ମା’ଙ୍କ କୃପାଲାଭ କରିବେ । ପୁତ୍ରସନ୍ତାନଟିଏ ପ୍ରଦାନ କରି ମା’ ତାଙ୍କୁ ଦୟାକଲେ, ସେ ନର୍କ-ଯାତନାରୁ ବଂଚିଯିବେ ।

               
କିଛି ସପ୍ତାହ ପରେ ଗୋକାଳୁଷ୍ଟମୀ ପଡିଲା । ଏହି ଦିନ ସେ ଶ୍ରୀକୃଷ୍ଣଙ୍କୁ ଆରାଧନା କରି କୋଦଣ୍ଡପୁର ଗ୍ରାମ ଅଭିମୁଖେ ଯାତ୍ରା କଲେ । ବେଳ ବୁଡିବା ସମୟକୁ ସେ ଯାଇ କୋଦଣ୍ଡପୁର ସୀମାକୁ ଲାଗି ଗୋଟିଏ ଗ୍ରାମ ଚିତ୍ରାପୁରଠାରେ ପହଁଚିଯାଇଥିଲେ । ସେତେବେଳେ ଆକାଶରେ ମେଘ ଘୋଟି ରହିଥାଏ । ତେଣୁ କାମଦେବ ସ୍ଥିର କଲେ, ସେ ରାତିକ ଏହି ଗ୍ରାମରେ ବିଶ୍ରାମ ନେଇ ପରଦିନ କୋଦଣ୍ଡପୁର ଯାତ୍ରା କରିବେ । ନିଜକୁ ଜଣେ ପୁରୋହିତ ରୂପେ ପରିଚୟ ଦେବାରୁ, ଜଣେ ବ୍ୟକ୍ତି ତାଙ୍କୁ ସେହି ଗ୍ରାମର ପୁରୋହିତଙ୍କ ଗୃହରେ ଛାଡିଦେଲା ।

                ଚିତ୍ରାପୁର ଗ୍ରାମର ପୁରୋହିତ ବେଶ୍ ଆଦର ସହକାରେ ତାଙ୍କର ସ୍ୱାଗତ କଲେ । କାମଦେବ ଯେତେବେଳେ କହିଲେ, ସେ କୋଦଣ୍ଡପୁର ଗ୍ରାମଦେବୀଙ୍କ ଉତ୍ସବ ସମୟରେ ଅଗ୍ନିକୁଣ୍ଡ ଉପରେ ଚାଲିବାପାଇଁ ଯାଉଛନ୍ତି, ସେ ବିସ୍ମିତ ହୋଇ କହିଲେ, “ମହୋଦୟ, ବେଦଜ୍ଞ ପଣ୍ଡିତ ହୋଇ ମଧ୍ୟ ଆପଣ ଏଭଳି ଅଜ୍ଞାନ ଅନ୍ଧକାରରେ ବୁଡି ରହିଛନ୍ତି । ଆପଣଙ୍କର ତ ଦୁଇଟି କନ୍ୟା ଅଛନ୍ତି । ମା’ଙ୍କର କୃପା ହେଲେ ଆପଣ ପୁତ୍ରଟିଏ ପାଇଲେ ମନସ୍କାମନା ପୂରଣ ହେବ । କିନ୍ତୁ ପୁତ୍ର ବଦଳରେ ଯେବେ କନ୍ୟାଜାତ ହୁଏ, ତେବେ ତିନୋଟି କନ୍ୟାଙ୍କର ବିବାହାଦି କାର୍ଯ୍ୟ ସମ୍ପନ୍ନ କରେଇବାରେ ଆପଣ ବହୁ ଅସୁବିଧାର ସମ୍ମୁଖୀନ ହେବେ ।”

             
  କାମଦେବ ନିଜ ମନୋଭାବ ପ୍ରକଟ କରିବାକୁ ଯାଇ କହିଲେ “ଭଗବାନଙ୍କ ହାତରେ ସବୁ । ଯିଏ ଆମକୁ ସଂସାରକୁ ପଠାଇଛନ୍ତି, ସେହିଁ ତା’ର ଦାୟିତ୍ୱ ନେବେ । ମୃତ୍ୟୁପରେ ପିତୃଲୋକରେ ଶାନ୍ତି ପାଇବା ପାଇଁ, ପିଣ୍ଡ ଦେବା ଉଦ୍ଧେଶ୍ୟରେ ମୋର ପୁତ୍ରଟିଏ ଦରକାର ।” ଚିତ୍ରାପୁର ଗ୍ରାମର ପୁରୋହିତ ଟିକିଏ ହସି ଦେଇ ଆଉ ଅଧିକ କିଛି କହିଲେ ନାହିଁ । ଭୋଜନ ସମୟ ଆସି ଉପଗତ ହେଲା । ଦୁଇଜଣଙ୍କୁ ପୁରୋହିତଙ୍କ କନ୍ୟା ରମା ରାତ୍ରିଭୋଜନ ପରଷିଲେ । କାମଦେବ ସେ ପୁରୋହିତଙ୍କୁ ପଚାରିଲେ, “ଆପଣ କେତୋଟି ସନ୍ତାନର ଜନକ?”

ରମା ତାଙ୍କ ପିତାଙ୍କ ବଦଳରେ ନିଜେ ତତ୍କ୍ଷଣାତ୍ ଉତ୍ତର ଦେଇ କହିଲେ, “ମହାଶୟ, ମୁଁ ମୋ ପିତାଙ୍କର ଏକମାତ୍ର କନ୍ୟା । ମୋର ଜଣେ ବଡଭାଇ ବି ଥିଲେ । ମୋ ପିତାଙ୍କର ଆଶାଥିଲା, ପୁତ୍ର-ନରକ ଯନ୍ତ୍ରଣାରୁ ବର୍ତିବା ପାଇଁ ଏକ ପୁତ୍ର ସନ୍ତାନ ନିହାତି ଭାବେ ଆବଶ୍ୟକ । ସେଥିପାଇଁ ସେ ମଧ୍ୟ ଅଗ୍ନିକୁଣ୍ଡ ଉପରେ ଚାଲି ଦେବୀଙ୍କ କୃପାରୁ ପୁତ୍ରଟିଏ ଲାଭ କଲେ । ମାତ୍ର ପୁତ୍ରକୁ କୋଡିଏ ବର୍ଷ ସମୟରେ ହଠାତ୍ ତା’ର ମୃତ୍ୟୁ ଘଟିଲା । ସେହି ଦୁଃଖରେ ମୋ ମା’ଙ୍କର ମଧ୍ୟ ଦେହାନ୍ତ ଘଟିଛି । ପୁରୋହିତ କର୍ମ ମୋର ପିତାଙ୍କର ଏକମାତ୍ର ବେଉସା । ତେଣୁ ସେ ଏକ ଯୁବକଙ୍କୁ ପୁରୋହିତ ବିଦ୍ୟା ଶିକ୍ଷା ଦେଲେ, ଏବଂ ସେହି ଯୁବକଙ୍କ ସହିତ ମୋର ବିବାହ ଅନୁଷ୍ଠିତ କରାଇଲେ । ପୁତ୍ର ସନ୍ତାନରୁ ବଂଚିତ ହେଲେ ଯଦି କୌଣସି ନରକ ଯନ୍ତ୍ରଣା ଥାଏ, ତେବେ ସେଥିରୁ ନିସ୍ତାର ପାଇବା ପାଇଁ, ତାଙ୍କର ଆଧାର ହେଉଛନ୍ତି, ତାଙ୍କର ଜାମାତା ଯେ ତାଙ୍କର ପୁତ୍ରଠାରୁ ମଧ୍ୟ ଅଧିକ ପ୍ରିୟ ।”

             
  ଏକଥା ଶୁଣି କାମଦେବଙ୍କ ମନରେ ସେମାନଙ୍କ ପରିବାର ପ୍ରତି ସହାନୁଭୁତି ଜନ୍ମିଲା । ତାଙ୍କୁ ଏତେ ଆଦରରେ ଆତିଥ୍ୟ ପ୍ରଦାନ କରି ଭୋଜନ ଦାନ କରିଥିବା ସେହି ପରିବାରର ମନର ବ୍ୟଥା ଦୂର କରିବା ପାଇଁ ସେ କହିଲେ, “କନ୍ୟା, ଶାସ୍ତ୍ରବିଧି ଅନୁଯାୟୀ, ଭୋଜନ ସମୟରେ ମୌନତା ଅବଲମ୍ବନ କରିବା ବିଧେୟ । କିନ୍ତୁ ମୁଁ କିଛି କହିବା ପାଇଁ ଇଚ୍ଛା କରୁଛି । ପୁତ୍ର ବା କନ୍ୟା ଉଭୟ ଭଗବାନଙ୍କ ସୃଷ୍ଟିରେ ସମାନ । ସେମାନଙ୍କର ବୁଦ୍ଧି, ଧୀଶକ୍ତି ମଧ୍ୟ ସମାନ ଅଟେ । ବ୍ରାହ୍ମଣଙ୍କର ଶ୍ରେଷ୍ଠ ଆରାଧ୍ୟ ଦେବୀ ହେଉଛନ୍ତି ଗାୟତ୍ରୀ । ବିଦ୍ୟାର ଦେବୀ ସରସ୍ୱତୀ । ଧନର ଦେବୀ ଲକ୍ଷ୍ମୀ । ଏହି ସତ୍ୟକୁ ପାଶୋରି ଯିବା ଠିକ୍ ନୁହେଁ । କିନ୍ତୁ ପରମ୍ପରାଗତ ଭାବରେ ଗଡିଆସିଥିବା ଅନ୍ଧବିଶ୍ୱାସର ବନ୍ଧନରେ ଆମେ ବନ୍ଦୀ । ପୁତ୍ରର ଶିକ୍ଷାଦୀକ୍ଷା ପାଇଁ ଆମେ ସମସ୍ତ ପ୍ରକାର ପ୍ରଚେଷ୍ଟା କରୁ । କିନ୍ତୁ ଏପରି ଶିକ୍ଷା କନ୍ୟାକୁ ପ୍ରଦାନ କରିବାରେ ଆମେ ସଦା ସର୍ବଦା ହେଳା କରିଥାଉ । ଅଗ୍ନିକୁଣ୍ଡ ଉପରେ ଚାଲିବା ପରେ ଯଦି ମୋର ପୁତ୍ର ନ ହୋଇ ପୁଣି କନ୍ୟା ଜାତ ହୁଏ, ତେବେ ମୁଁ ତାକୁ ପୁତ୍ର ପରି ପ୍ରତିପୋଷଣ କରିବି, ଶିକ୍ଷା ପ୍ରଦାନ କରିବି ପରଂବ୍ରହ୍ମ ଅନ୍ନ ଦେବତାଙ୍କୁ ସାକ୍ଷୀ ରଖି ମୁଁ ଆଜି ଏହି ଶପଥ ନେଉଛି । ମୁଁ ସେହି କନ୍ୟାକୁ ପୁତ୍ରତୁଲ୍ୟ ମନେ କରି ପ୍ରମାଣିତ କରିଦେବି ଯେ, ପୁତ୍ର ଓ କନ୍ୟା କେହି କାହାରିଠାରୁ ସାନ ବା ବଡ ନୁହଁନ୍ତି ।”

                କାମଦେବଙ୍କ ଏପ୍ରକାର କଥା ରମାଙ୍କୁ ବେଶ୍ ପ୍ରଭାବିତ କଲା । ସେ ଗଦ୍ଗଦ୍ କଣ୍ଠରେ କହିଲେ, “ଆପଣ ପୁତ୍ରଟିଏ ଲାଭ କରିବାର ସୌଭାଗ୍ୟ ନିଶ୍ଚୟ ପାଇବେ । ମୋର ଆନ୍ତରିକ ଇଚ୍ଛା ଏହିଯେ, ଏପରି ସୁଦିନ ଖୁବ୍ ଶୀଘ୍ର ଆସିବ, ଯେତେବେଳେ ପୁତ୍ର ଓ କନ୍ୟା ମଧ୍ୟରେ ବାଛବିଚାର, ପକ୍ଷପାତିତା ରହିବ ନାହିଁ । ଲୋକମାନେ ଏହି ସତ୍ୟକୁ ଉପଲବ୍ଧି କରିପାରିବାଠାରୁ ବଳି ସୁଖର କଥା ଆଉ କ’ଣ ବା ଅଛି?”

                ତତ୍ ପରଦିନ ପ୍ରଭାତରୁ କାମଦେବ କୋଦଣ୍ଡପୁର ଅଭିମୁଖେ ଯାତ୍ରା କଲେ । ବାମଦେବଙ୍କ ସହାୟତାରେ ମନ୍ଦିରର ପୂଜକଙ୍କୁ ଭେଟି ଗ୍ରାମଦେବୀଙ୍କ ପୂଜା ଅର୍ଚ୍ଚନା ସାରି ସେ ତାଙ୍କ ଗ୍ରାମକୁ ଫେରି ଆସିଲେ ।

                ଏହାର ଠିକ୍ ଏକବର୍ଷ ପରେ କାମଦେବ, ଯମଜ ପୁତ୍ରକନ୍ୟାଙ୍କର ଜନକ ହେଲେ । ସେହି ଯାଆଁଳା ଭାଇଭଉଣୀ କେବଳ ଚେହେରା ନୁହେଁ, ବ୍ୟବହାର ଚାଲିଚଳଣରେ ମଧ୍ୟ ସମ୍ପୂର୍ଣ୍ଣ ସମାନ ଥିଲେ । ଏହି ବିଚିତ୍ର କଥା ଦେଖି ଗ୍ରାମବାସୀମାନେ ଆଶ୍ଚର୍ଯ୍ୟ ହେଉଥାନ୍ତି ।

                କିନ୍ତୁ କାମଦେବ, ଚିତ୍ରାପୁର ଗ୍ରାମରେ ଭୋଜନ କରୁଥିବା ସମୟରେ ନେଇଥିବା ଶପଥକୁ ସ୍ମରଣ କରି ମା’ଅମ୍ବିକାଙ୍କୁ ପ୍ରଣାମ କରି କହୁଥାନ୍ତି, ‘ମା’, ପୁତ୍ରଟିଏ ସହିତ କନ୍ୟା ମଧ୍ୟ ମତେ ଅର୍ପଣ କରିଛୁ । ମୁଁ ସେ ଦୁହିଁଙ୍କୁ ସମଚକ୍ଷୁରେ ଦେଖିବି । ସମଭାବରେ ଲାଳନପାଳନ କରି, ସମାନ ଶିକ୍ଷା ପ୍ରଦାନ କରିବି । ସେ ଦୁହିଁଙ୍କର ନାମ ବିଦ୍ୟାର ଦେବ, ଦେବିଙ୍କ ନାମାନୁସାରେ ରଖିଲେ – ଗଣେଶ – ସରସ୍ୱତୀ ।

                ବହୁ ଲୋକ ଆପତ୍ତି ଉଠାଉଥାନ୍ତି । ମାତ୍ର ତା ସତ୍ତ୍ୱେ ମଧ୍ୟ କାମଦେବ କାହାରି କଥାକୁ ଭୁକ୍ଷେପ ନ କରି ପୁତ୍ର ଓ କନ୍ୟା ଉଭୟଙ୍କ ପାଇଁ ସମାନ ଶିକ୍ଷାର ବନ୍ଦୋବସ୍ତ କଲେ । ଉଭୟେ ବଡ ହୋଇ ଶାସ୍ତ୍ରଜ୍ଞ ପଣ୍ଡିତ ବୋଲାଇଲେ । ସୌଭାଗ୍ୟବଶତଃ ବା ଦେବୀଙ୍କ କୃପାରୁ ସେ ଖୁବ୍ ଶୀଘ୍ର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିରେ ପରିଣତ ହେଲେ । ଜମିଦାର ସ୍ତରର ଜଣେ ପୁରୋହିତଙ୍କ ପୁତ୍ର ସହିତ ପ୍ରଥମ କନ୍ୟାକୁ ସେ ବିବାହ ଦେଲେ । ଏହା ତାଙ୍କର ମାନ ମର୍ଯ୍ୟାଦା ବୃଦ୍ଧି କଲା । ଦ୍ୱିତୀୟ କନ୍ୟାଟିର ମଧ୍ୟ ଅତି ସହଜରେ ଏକ ସମ୍ଭ୍ରାନ୍ତ ପରିବାରରେ ବିବାହ ହୋଇଗଲା । ଏବେ ଗଣେଶ ଓ ସରସ୍ୱତୀ ଯୁବାବସ୍ଥାରେ ପହଁଚିବାରୁ, ସେମାନଙ୍କ ପାଇଁ, ଉତ୍ତମ ପ୍ରସ୍ତାବ ଯୋଗାଡରେ କାମଦେବ ଲାଗିଥାଆନ୍ତି ।

ଗଣେଶ ଓ ସରସ୍ୱତୀ ନିଜର ପାଣ୍ଡିତ୍ୟ ଦ୍ୱାରା, ଜନସମାଜରେ ଖୁବ୍ ଆଦୃତ ହେଲେ । ନିଜର କବିତ୍ୱ ଓ ବାଗ୍ମୀତା ଦ୍ୱାରା ସେମାନେ ସମସ୍ତଙ୍କୁ ଆକର୍ଷିତ କରି ପ୍ରଶଂସାର ପାତ୍ର ହେଉଥାନ୍ତି । ସେମାନଙ୍କର ବିଦ୍ବଭା ଓ ପାଣ୍ଡିତ୍ୟର ଖବର ଜମିଦାରଙ୍କ ନିକଟରେ ପହଁଚିଲା । ସେ ଆଗ୍ରହାନ୍ୱିତ ହୋଇ ସେହି ଦୁଇଜଣଙ୍କୁ ନିଜ ସଭାସ୍ଥଳୀକୁ ଆମନ୍ତ୍ରଣ ଜଣାଇଲେ । କିନ୍ତୁ ସଭାରେ ସଂସ୍କୃତ ପଣ୍ଡିତମାନେ ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ । ଜଣେ କବି ଜମିଦାରଙ୍କୁ କହିଲେ, “ପ୍ରଭୁ, ଯଦି ପ୍ରକୃତରେ ସେମାନଙ୍କର ପ୍ରତିଭା ଅଛି, ତେବେ ଆପଣ ସେମାନଙ୍କୁ ସମ୍ମାନିତ କରିବା ଉଚିତ୍ । ତେଣୁ ସଂସ୍କୃତରେ ତାଙ୍କ ଜ୍ଞାନର ଗଭୀରତା କଳନା କରିବା ପାଇଁ, ମତେ ସେମାନଙ୍କୁ ପରୀକ୍ଷା କରିବାର ଏକ ସୁଯୋଗ ପ୍ରଦାନ କରନ୍ତୁ ।” ‘ମାନବ, ନାରୀ, ପୁରା, ଜାରା, ପରା, ହାରା’ ଏଇ ଶବ୍ଦ କେତୋଟିର ସଂଯୋଜନାରେ ସେମାନେ ଏକ ସଂସ୍କୃତ ପଦ୍ୟ ବିରଚନା କରି ନିଜର ପ୍ରତିଭାର ପରାକାଷ୍ଠା ଦେଖାନ୍ତୁ । ନଚେତ୍ ‘ଦୁଃସଙ୍ଗତ ମହାତ୍ମାଂ କିଂ ଭବତି’ – ଯାହାର ଅର୍ଥ ନୀଚଲୋକଙ୍କ ସଂସ୍ପର୍ଶରେ ଆସିଲେ, ଆମପରି ମହାକବିଙ୍କର ଅବସ୍ଥା କ’ଣ ହେବ?” ଏପରି ଅହଙ୍କାର ପୂର୍ଣ୍ଣ ଭାବରେ ସେ ତାଙ୍କର ବକ୍ତବ୍ୟ ଶେଷ କଲେ ।

ଗଣେଶ–ସରସ୍ୱତୀ ଉଭୟେ ବିନମ୍ରତା ପ୍ରକାଶ କରି କହିଲେ, “ବିଦ୍ୱାନ ମଣ୍ଡଳୀ, ଆମେ କେବେବି ଆପଣଙ୍କର ସମକକ୍ଷ ହୋଇପାରିବୁ ନାହିଁ, ଦେବୀଙ୍କର ଅଶେଷ କୃପାରୁ, ତାଙ୍କର ବରଦାନ ସ୍ୱରୂପ ଆମେ ଦୁଇ ଭାଇଭଉଣୀ ଜନ୍ମ ନେଇଛୁ । ତାଙ୍କର ମହିମାବଳରେ ଯତ୍କିଂଚିତ କବିତା ଶୁଣାଇବାରେ ସମର୍ଥ ହେଉଛୁ । କାହାକୁ ପରାଜିତ କରି ଆମେ ଯଶ ବା ସମ୍ମାନ ହାସଲ କରିବା ପାଇଁ ଇଚ୍ଛା କରୁନାହୁଁ । ଆପଣମାନଙ୍କୁ ପ୍ରଣାମ କରି ଆମର ପଦ୍ୟଟି ଅତି ସଂକ୍ଷିପ୍ତରେ ପ୍ରକାଶ କରୁଛୁ” – ‘ମାନପୂଜାପହାରା’

ଏତିକିରେ ସଂସ୍କୃତକବିଙ୍କର ମୁଣ୍ଡ ହଠାତ୍ ତଳକୁ ନଇଁଗଲା । ସେ ଜମିଦାରଙ୍କୁ କହିଲେ “ମାନର ଅର୍ଥ ଆଦର, ପୂଜାର ଅର୍ଥ ସତ୍କାର ଅଟେ । ଅପହାର ଶବ୍ଦର ଅର୍ଥ – ତପ । ନୀଚ ଲୋକଙ୍କ ସଂସ୍ପର୍ଶରେ ଆସି ମହାକବିମାନଙ୍କର ଆଦର ପୂଜା ସତ୍କାର ଲୋପ ପାଇଯାଏ । ମୁଁ କହୁଥିବା ଉକ୍ତିକୁ ଖଣ୍ଡନ କରି, ମୋର ପ୍ରଦତ୍ତ ଶବ୍ଦ ଗୁଡିକର ପ୍ରଥମ ଅକ୍ଷର ସଂଯୋଜନାରେ ସେ ଏହି ପଦ୍ୟଟି ‘ମାନପୂଜାପହାରା’ ରଚନା କରିଛନ୍ତି । ଅର୍ଥାତ୍ – ଆମ ମଧ୍ୟରେ କିଏ ଆଦର, ପୂଜା, ସତ୍କାରର ଯୋଗ୍ୟ ଅଟେ, ତାହା ଭଲଭାବେ ବିଚାର କରନ୍ତୁ । ପ୍ରକୃତରେ ଏହି ଯୁବକ-ଯୁବତୀ ଅତ୍ୟନ୍ତ ବିଦ୍ୱାନ ଅଟନ୍ତି ।”

ଜମିଦାର ଅତ୍ୟନ୍ତ ଖୁସିହୋଇ, ସେ ଦୁଇଜଣଙ୍କର ସତ୍କାର କରି, ନିଜ ସଭାସ୍ଥଳୀରେ ଉଚ୍ଚାସନ ଦେଲେ ।
 କେମିତି ଲାଗିଲା ମତାମତ ଜଣାଇବେ.
 ଯୋଗାଯୋଗ :-କୋତାଙ୍ଗ, କୋଣାର୍କ
 ଦୁରାଭାଷ :-6350263818
 ବର୍ତ୍ତମାନ ଅବସ୍ଥିତି :-ଅଜମେର ରାଜସ୍ତାନ 

No comments:

Post a Comment

AI: Shaping the Future of Humanity |

AI: Shaping the Future of Humanity | In the grand tapestry of human innovation, few threads have proven as transformative as the...