Sunday, February 19, 2023

ଅସହାୟ ଗୋବର୍ଧନ

 

ପଣ୍ଡିତ ସଦାଶିବ ଏବଂ ମୋତି କରଙ୍କ ଔରସରୁ ଚତୁର୍ଥ ଓ କନିଷ୍ଠ ସନ୍ତାନ ଭାବେ ଜନ୍ମ ଗୋବର୍ଧନ. ଶ୍ରଦ୍ଧାରେ ସମସ୍ତେ ଗୋବା, ଗୋଵି, ଏବଂ ଗୋବିନ୍ଦ ନାମରେ ଡାକନ୍ତି. ଜନ୍ମ ବେଳକୁ ପଣ୍ଡିତ ସଦାଶିବ ଜେଲରେ ଥାନ୍ତି, ଗୋବର୍ଧନ ଜନ୍ମ ହେବାର ଚଉଦ ଦିନରେ ମୋତିଦେବୀଙ୍କର ସ୍ୱର୍ଗାବାସ ହୁଏ.
            ଚଉଦ ଦିନର ପିଲାଟି ମା ଛେଉଣ୍ଡ ହୁଏ, ସେତେବେଳେ ସାଇପଡିଶାର ସ୍ତ୍ରୀ ଲୋକମାନେ ଆସି ପିଲାଟିକୁ ନିଜ ସ୍ତନର କ୍ଷୀର ପାନ କରାନ୍ତି. ସେତେବେଳେ ଘରେ ଥାନ୍ତି ପଣ୍ଡିତ ସଦାଶିବ କରଙ୍କ ଦୁଇ ପୁଅ ଗନ୍ଧର୍ବ ଏବଂ ମାଧବାନନ୍ଦ ଏବଂ ଝିଅ ହଗୁରି.
              ପଣ୍ଡିତ ସଦାଶିବ ବାବୁଙ୍କ ସାନ ଭାଇ ହାଡିବନ୍ଧୁ କର ଏବଂ ପଦମାବତୀ କରଙ୍କ ବଡ଼ ଝିଅ ଚନ୍ଦ୍ରମଣୀକୁ ନେଇ ଛୋଟିଆ ସଂସାର, ପଣ୍ଡିତ ସଦାଶିବ ଜେଲ ଗଲା ପରେ, ପୁରା ପରିବାରର ଦାୟିତ୍ୱ  ହାଡିବନ୍ଧୁ ଏବଂ ପଦ୍ମାବତୀଙ୍କ ଉପରେ ଥାଏ. ସେ ସୁଚାରୁ ରୂପେ ସମସ୍ତଙ୍କୁ ଦେଖାଶୁଣା କରୁଥାନ୍ତି.ତଥାପି ଗୋବର୍ଧନ ଙ୍କ ପାଇଁ ପଦମାବତୀ ପୁରା ମାଆର ସ୍ନେହ ଅଜାଡି ଦେଇଥାନ୍ତି.
               ଆଜିକାଲି ଗୋଟେ ପିଲାକୁ ଚଲେଇବା କେତେ କଷ୍ଟ ବର୍ତମାନର ମାଆ ମାନଙ୍କୁ ପଚାରିଲେ ସେମାନେ ଭଲଭାବେ ବୁଝାଇ ପାରିବେ. କିନ୍ତୁ ସେତେବେଳେ ନିଜରତ ଛାଡ଼, ଦେଡଶୁରଙ୍କ ଚାରି ପିଲାଙ୍କ ଦେଖାଶୁଣା କେମିତି କରୁଥିଲେ ସେଇ ମହିୟସୀ ମହିଳା ହିଁ ଜାଣିଥିବେ. ସେଥିପାଇଁତ ସେ ସମୟରେ ବଡ଼ ପରିବାର ଏକା ସାଥିରେ ଶାନ୍ତିରେ ରହୁଥିଲେ. କିନ୍ତୁ ବର୍ତମାନ ସ୍ୱାମୀ, ସ୍ତ୍ରୀ ଏବଂ ଗୋଟିଏ ପିଲାକୁ ନେଇବି ପରିବାରରେ ଶାନ୍ତି ନାହିଁ.
               ଗୋବର୍ଧନଙ୍କୁ ୬ ମାସ ହୋଇଥାଏ ପଣ୍ଡିତ ସଦାଶିବ ନିଜର ପାଣ୍ଡିତ୍ୟ ଗୁଣରେ ଜେଲର କର୍ତ୍ତୃପକ୍ଷ ଏବଂ ଜେଲର ସାହେବ ଙ୍କୁ ବିମୋହିତ କରି ଫାଶୀ ଦଣ୍ଡରୁ ମୁକ୍ତ ହୋଇ ନିର୍ଦୋଷ ରେ ଜେଲରୁ ଖଲାସ ହେଲେ.
               ଜେଲେରୁ ଖଲାସ ହୋଇ ଆସିବା ପରେ ନିଜ ପ୍ରାଣ ପ୍ରିୟାକୁ ହରାଇବାର ଦୁଃଖ ଏବଂ ମାଆ ଛେଉଣ୍ଡ ଚାରିପିଲାଙ୍କ ଶୁଖିଲା ମୁହଁକୁ ଦେଖି ସତେ ଯେମିତି ଖୁଣ୍ଟା ବରଗଛ ଟିଏ ପାଲିଟି ଯାଇଥିଲେ ପଣ୍ଡିତ ସଦାଶିବ.
               କଥାରେ ଅଛି ଯେତେ ଭାଇ ସେତେ ଘର, ଯେତେ କନିଆ ସେତେ ବର.ସାମାନ୍ୟ କିଛି କଥାକୁ ନେଇ ଦୁଇଭାଇ ପଣ୍ଡିତ ସଦାଶିବ ଏବଂ ହାଡିବନ୍ଧୁଙ୍କ ମଧ୍ୟରେ ପାଚେରୀ ଠିଆ ହୋଇଥିଲା. ନିଜ ଘରର ପରିସ୍ଥିତିକୁ ଦେଖି ବଡ଼ ପୁଅ ଗନ୍ଧର୍ବଙ୍କ ବିବାହ ଅଠର ବର୍ଷ ବୟସରେ କାକଟପୁର ନିକଟବର୍ତ୍ତୀ ତୁଳାମାଳ ଶାସନ ସ୍ଥିତ ବିଦୁଲତାଙ୍କୁ ବାର ବର୍ଷ ବୟସରେ ବିବାହ କରିଥିଲେ.
               ଘରର ବଡପୁଅ ହିସାବରେ, ଘରର ସମସ୍ତ ଦାୟିତ୍ୱ ନିଜ ହାତକୁ ନେଇଥିଲେ. ବିଦୁଲତା ଘରର ବଡ଼ ବୋହୁ ଏବଂ ନଣଦ ଦିଅରଙ୍କୁ ମାଆ ର ସ୍ନେହ ଶ୍ରଦ୍ଧା ଅଜାଡିଦେଇଥିଲେ.ଗୋବର୍ଧନଙ୍କୁ ଚାରିବର୍ଷ ବୟସ ହୋଇଥାଏ  ପଣ୍ଡିତ ସଦାଶିବ ଘରର ସମସ୍ତ କାର୍ଯ୍ୟ ଗନ୍ଧର୍ବଙ୍କ ହାତରେ ଛାଡ଼ିଦେଇ ଇହଲୀଳା ସମ୍ବରଣ କଲେ.
               ମାଆ ବାପାଙ୍କ ସ୍ନେହ ଶ୍ରଦ୍ଧାରୁ ପୁରା ମାତ୍ରାରେ ବଞ୍ଚିତ ହୋଇଯାଇଥିଲେ ଗୋବର୍ଧନ. ଯାହାଫଳରେ ନିଜର ଶିକ୍ଷାର ବିକାଶ କରିପାରି ନଥିଲେ. ଏପଟେ ମାଧବାନନ୍ଦ କଟକ ରେଜିଅନାଲ କଲେଜରୁ ଇଂରାଜୀ ରେ ବି ଇ ଡି କଲାପରେ ଶିକ୍ଷକତାକୁ ଗ୍ରହଣ କରିନେଇଥିଲେ.
               ଗୋବର୍ଧନ ପ୍ରାଥମିକ ଶିକ୍ଷା ପରେ ପାଠ ପଢ଼ାରୁ ଡୋରି ବାନ୍ଧି ଦୁଇଭାଇଙ୍କ ସେବା ସାଙ୍ଗକୁ ବିଲ ବାଡ଼ି କାମରେ ନିଜକୁ ନିୟୋଜିତ କରିଥିଲେ.
               ଏପଟେ ପଣ୍ଡିତ ସଦାଶିବ ଚାଲିଗଲା ପରେ ଗନ୍ଧର୍ବ ନିଜର ଭଉଣୀକୁ ସୁଅଖିଆ ଶାସନ ସ୍ଥିତ ବୈଷ୍ଣବ ମିଶ୍ରଙ୍କ ସହିତ ବିବାହ କରାଇଥିଲେ, ମଝିଆଁ ଭାଇ ମାଧବାନନ୍ଦଙ୍କୁ ପତିସାହି ଶାସନ ସ୍ଥିତ ଶାନ୍ତି ଲତାଙ୍କ ସହିତ ବିବାହ କରାଇବା ପରେ ଗୋବର୍ଧନଙ୍କୁ ଅଚୁତ୍ୟପୁର ଶାସନ ସ୍ଥିତ ନଟବର ଏବଂ ପାର୍ବତୀ ଦାସଙ୍କ କନିଷ୍ଟା କନ୍ୟା ପୁଷ୍ପ ଲତାଙ୍କ ସହିତ ବିବାହ କାର୍ଯ୍ୟ କରାଯାଇଥିଲା.
               ପିଲାଟି ଦିନରୁ ଗୋବର୍ଧନ ବାପା ମାଆ ଙ୍କୁ ହରାଇ ନିଜର ସ୍ୱାଧୀନତା ହରାଇ ଦେଇଥିଲେ. ବଡ଼ ଭାଇର ସେବାକୁ ନିଜର କର୍ମ ଭାବେ ବାଛି ନେଇଥିଲେ, ସନ୍ଧ୍ୟାରେ ବଡ଼ ଭାଇର ପଦ ସେବା ନକଲା ପର୍ଯ୍ୟନ୍ତ ବିଛଣାକୁ ଯାଉ ନଥିଲେ.
               ଗୋବର୍ଧନଙ୍କ ପାଖରେ ହିଂସା, କପଟ, ଅହଂକାର ଇତ୍ୟାଦି କିଛି ନଥିଲା.ସାଧା ସିଧା ମଣିଷ ଟିଏ, ଯାହା ମିଳିଲା ପ୍ରସାଦ ସଦୃଶ୍ୟ ଭୋଜନ କରୁଥିଲେ, ସେଥିପାଇଁତ ସମସ୍ତଙ୍କର ସେ ପ୍ରିୟ ଥିଲେ. ନା ଥିଲା ରୋଜଗାରର ଚିନ୍ତା, ନା ବ୍ୟାଙ୍କ ବାଲାନ୍ସ, ଅତ୍ୟନ୍ତ ଖୁସି ମିଜାଜର ଲୋକ.
               ଦୁଃଖ ବୋଲି କିଛି ଜାଣିନାହାନ୍ତି, ବଡ ଭାଇଙ୍କୁ ବାପ ଠୁ ବି ଅଧିକା ମାନନ୍ତି କାରଣ ନିଜ ବାପା ମାଆଙ୍କ ଠାରୁ ସ୍ନେହ ତ ଦୂରର କଥା ଆଖି ପୁରାଇ ଭଲକି ଦେଖିବାର ସେ ସୁଯୋଗ  ଭଗବାନ ତାଙ୍କ ଠାରୁ ଛଡାଇ ନେଇଥିଲେ. ଦିନେ କେବେ ଥକି ପଡି ବସି ଯିବା କେହି ତାଙ୍କୁ ଦେଖିନାହାନ୍ତି.
               ଗୋବର୍ଧନ ଯେଉଁଠିବି ଥାନ୍ତୁ, ବଡ ଭାଇର ଗୋଟିଏ ଡାକରେ ଆସି ପହଞ୍ଚି ଯାଉଥିଲେ. ପ୍ରତେକ ସ୍ତ୍ରୀ ଚାହାଁନ୍ତି ତାଙ୍କର ସ୍ୱାମୀ ନିଜ ସ୍ୱାଧୀନତାରେ ରୁହନ୍ତୁ,କର୍ମ ମୟ ଜୀବନ ଭିତରୁ ସମୟ ବାହାର କରି ପତ୍ନୀ ଓ ପିଲାମାନଙ୍କୁ ସମୟ ଦିଅନ୍ତୁ.କିନ୍ତୁ ଗୋବର୍ଧନ ଥିଲେ ଅସହାୟ. ଗୋବର୍ଧନଙ୍କ ପତ୍ନୀ ଜଣେ ଧର୍ମ ପରାୟଣ ମହିଳା ଥିଲେ,
               ସମସ୍ତଙ୍କ ପାଇଁ ସବୁ ତ୍ୟାଗ କରି ମଧ୍ୟ୍ୟ, କାହାଠୁ ସେ ସନମାନ ପାଉ ନଥିଲେ. ସମସ୍ତଙ୍କ ବ୍ୟବହାର ତାଙ୍କୁ ବହୁତ କଷ୍ଟ ଦେଉଥିଲା. ବନ୍ଧୁ ବାନ୍ଧବରେ ଗୋବର୍ଧନଙ୍କୁ ସମସ୍ତେ ଚାକର ଭଳି ଦେଖୁଥିଲେ. ଏ ସବୁ କୋହକୁ ନିଜ ଛାତିରେ ଚାପିରଖି ଚୁପ ଚାପ ସବୁକିଛି ସାହିଯାଉଥିଲେ.
               ଗୋବର୍ଧନ ଙ୍କ ମଝିଆଁ ଭାଇଙ୍କ ପ୍ରଚେଷ୍ଟାରେ ଗୋବର୍ଧନଙ୍କ ପତ୍ନୀ ପୁଷ୍ପଲତାଙ୍କୁ ଏକ ସ୍ଥାନୀୟ ବାଳିକା ବିଦ୍ୟାଳୟ ରେ ନିଯୁକ୍ତି ଦିଆଯାଇଥିଲା. ଘରଠୁ ଦୈନିକ ୬ କିଲୋମିଟର ଚାଲି ଚାଲି ପୁଷ୍ପା ସ୍କୁଲ ଯାଆନ୍ତି. ସେଥିପାଇଁ ଅନେକ ଟାହି ଟାପରା ତାଙ୍କୁ ଶୁଣିବାକୁ ମିଳିଛି. ତଥାପି ସେ ସବୁକୁ ଛାତିରେ ଚାପି ରଖି ନିଜ କର୍ମରେ ସବୁବେଳେ ବ୍ୟସ୍ତ ଥାନ୍ତି.
               କଥାରେ ଅଛି ଭଗବାନ ଯେତେବେଳେ ଦୁଃଖ ଦିଅନ୍ତି ତାହା ବର୍ଣନା କରିବା ବହୁତ କଷ୍ଟ. ଏହାରି ଭିତରେ ଗୋବର୍ଧନ ଓ ପୁଷ୍ପାଙ୍କ ଔରସ ରୁ ଏକ ପୁତ୍ର ସନ୍ତାନ ଜନ୍ମ ହୁଏ. ତାକୁ ଦେଖି ସେମାନେ ବହୁତ ଖୁସି ହୋଇଯାନ୍ତି. କିନ୍ତୁ ସେ ଖୁସି ବେଶିଦିନ ତିଷ୍ଠି ରୁହେନି. ଅଚାନକ ସେ ଶିଶୁ ପୁତ୍ରଟି ମୁର୍ତ୍ତୃ ବରଣ କରେ. ଭାଙ୍ଗି ପଡନ୍ତି ଗୋବର୍ଧନ ପୁଷ୍ପଲତାଙ୍କ କଥା କହିଲେ ନସରେ.
               ଏହି ଭଳି କିଛିଦିନ ଯିବା ପରେ ଏକ କନ୍ୟା ସନ୍ତାନ ଜନ୍ମ ହୁଏ. ସେ ଵି ପନ୍ଦର ଦିନର ଅତିଥି ହୋଇ ଆରପାରିକୁ ଚାଲିଯାଏ. ଏହାପରେ କିଛି ଦିନ ବ୍ୟବଧାନ କୌଣସି ସନ୍ତାନ ନହେବାରୁ ତାଙ୍କୁ ମାଇଚିଆ ବୋଲି ଆଖ୍ୟା ଦିଆଯାଏ.
               କାହାରି କଥାରେ ସେ ପ୍ରତିଉତ୍ତର ଦିଅନ୍ତି ନାହିଁ. ପୁଷ୍ପା ପ୍ରାଇଭେଟ ବିଦ୍ୟାଳୟରେ ଚାକିରୀ କରୁଥାନ୍ତି ଦରମା ମିଳୁନଥାଏ ଏହି ସବୁ ଭିତରେ ତାଙ୍କରି କୋଳକୁ ଦୁଇଟି ପୁତ୍ର ସନ୍ତାନ ଜନ୍ମ ନିଅନ୍ତି. ବଡପୁଅକୁ ସାତବର୍ଷ ବୟସରେ ପାଠ ପଢ଼ାଇବା ପାଇଁ ଗୋବର୍ଧନ ତାଙ୍କ ସଡୁଙ୍କ ଘରେ ଛାଡି ଦିଅନ୍ତି.
               ଆପଣ ଚିନ୍ତା କରନ୍ତୁ ସାତବର୍ଷ ବୟସରେ ନିଜ ବାପା ବୋଉଙ୍କୁ ଛାଡି ସେ ପିଲାଟି କେମିତି ରହିଥିବ. ବହୁତ ଭଲ ପାଆନ୍ତି ଗୋବର୍ଧନ ତାଙ୍କ ଦୁଇ ପୁଅକୁ. ଧୀରେ ଧୀରେ ସମୟ ବଢିବା ସହିତ ପିଲାମାନଙ୍କ ବୟସ ବଢିବାକୁ ଲାଗିଲା.
               ଘରର ସମସ୍ତ କାର୍ଯ୍ୟ କରିବା ସତ୍ୱେ ମଧ୍ୟ ତାଙ୍କର ସ୍ୱାଧୀନତା ନଥିଲା ଟଙ୍କାଟେ ଖର୍ଚ୍ଚ କରିବାର.ଗୋବର୍ଧନ ଙ୍କର ପ୍ରତେକ ବର୍ଷ ପ୍ରତିଟି ଅଧ୍ୟାୟ କହିଲେ ଅତୁକ୍ତି ହେବନାହିଁ. ଆଉ ପ୍ରତେକଟି ଅଧ୍ୟାୟ ଥିଲା ଦୁଃଖ ଆଉ ଯନ୍ତ୍ରଣା ଭରା କରୁଣ କାହାଣୀ. ପଇଂଚାଳିଶି ବର୍ଷ ବୟସରେ ଏ ଦୁନିଆ ଛାଡି ଚାଲିଯାଇଥିଲେ ସତ, କିନ୍ତୁ ତାଙ୍କର ଜୀବନ ବୟସର ସେହି ପଇଂଚାଳିଶି ପୃଷ୍ଠା ଦେଇଥିଲା ଅନେକ ପ୍ରେରଣାର ଉତ୍ସ.
               1997 ମସିହା ସେପ୍ଟେମ୍ବର 15 ତାରିଖ, ହଟାତ ଆରମ୍ଭ ହେଲା ଗୋବର୍ଧନ ଙ୍କର ପେଟ ଯନ୍ତ୍ରଣା, ନିକଟସ୍ଥ ଡାକ୍ତର ଖାନାରୁ ଇଞ୍ଜେକ୍ସନ ନେଇ ଟିକେ ଆରାମ ମିଳିଲା.ଏହାର ଦୁଇଦିନ ପରେ ସେପ୍ଟେମ୍ବର 17 ତାରିଖ ସକାଳ ନଅଟା ବେଳେ ତାଙ୍କ ବଡ଼ ପୁଅକୁ କହିଲେ ମୋତେ ଟିକେ ଡାକ୍ତର ଖାନା ନେଇଜା. ତାଙ୍କ ବଡ଼ ପୁଅକୁ ମାତ୍ର ସେତେବେଳେ 17 ବର୍ଷ ଏବଂ ସାନ ପୁଅକୁ 14 ବର୍ଷ.
               ଗୋବର୍ଧନଙ୍କ ବଡଭାଇ ଗନ୍ଧର୍ବଙ୍କ ସାନ ପୁଅ ସୁବ୍ରତ ଏବଂ ଗୋବର୍ଧନ ଙ୍କ ବଡ ପୁଅ ବୁଲୁ ଉଭୟ ମିଶି ଡାକ୍ତର ଖାନା ନେଇକି ଗଲେ. କିଛି ସମୟ ଚିକିତ୍ସା ପରେ ଡାକ୍ତର କହିଲେ ପୁରୀ କିମ୍ବା କଟକ ନେଇଯାଅ, ଗୋବର୍ଧନଙ୍କୁ ଆପେଣ୍ଡିକିସ ହୋଇଛି.
               ଏକଥା ଶୁଣିବା ପରେ ଗୋବର୍ଧନ ଙ୍କ ପୁଅ ଏବଂ ପୁତୁରା ଘରକୁ ଆଣିକି ଆସିଥିଲେ, ପୁରୀ ଯିବା ପାଇଁ ବ୍ୟବସ୍ତା ହେଉଥିଲା, ସେଦିନ ଥିଲା ଓଡିଶା ବନ୍ଦ ବସ ଚାଲୁନଥିଲା, ଏବଂ ସେତେବେଳେ ଅଟୋ, ଟ୍ୟାକ୍ସି ଏତେ ନଥିଲା. ଗୋବର୍ଧନଙ୍କ ଗାଁରେ   ସେତେବେଳେ ଦୁଇ ଜଣ ବ୍ୟକ୍ତିଙ୍କ ପାଖରେ ସ୍କୁଟର ଥିଲା, ଗୋବର୍ଧନଙ୍କ ବଡପୁଅ ତାଙ୍କୁ ବହୁତ ନେହୁରା ହୋଇଥିଲେ ଟିକେ ପୁରୀ ପର୍ଯ୍ୟନ୍ତ ନେଇଯିବାକୁ, ହୁଏତ ପୁରୀପର୍ଯ୍ୟନ୍ତ ଯାଇଥିଲେ ଗୋବର୍ଧନ ବଞ୍ଚିଯାଇଥାନ୍ତେ କାରଣ ତାଙ୍କ ସଡୁ ପୁରୀରେ ଚାକିରୀ କରୁଥିଲେ. ହୁଏତ ଭଗବାନଙ୍କ ନଜରରେ ଗୋବର୍ଧନଙ୍କ ସମୟ ସେତିକି ଥିଲା,ସମୟ 4 ଘଣ୍ଟା 30 ମିନିଟିରେ ପୁରା ଗାଁରେ ଶୋକର ଛାୟା ଖେଳିଗଲା.
               ନିଜ ଗାଁ ମଶାଣିରେ ଗୋବର୍ଧନଙ୍କ ସେହି 17 ବର୍ଷର ବଡପୁଅ ଯେତେବେଳେ ମୁଖାଗ୍ନି ଦେଲା, ସେତେବେଳେ ସେ ଭଗବାନଙ୍କୁ ବାରମ୍ବାର ଗୋଟିଏ ପ୍ରଶ୍ନ ପଚାରୁଥିଲା,କାହିଁକି ମୋତେ ବାପ ଛେଉଣ୍ଡ କରିଦେଲ ପ୍ରଭୁ.
               
               ଅସହାୟ ଦୁଃଖୀ ମଣିଷଟିଏ ଗୋବର୍ଧନ 45 ବର୍ଷ ଜୀବନ ଭିତରେ ନା ତାଙ୍କୁ ମିଳିଲା ବାପା ମାଆଙ୍କ ସ୍ନେହ, ନା ପତ୍ନୀର ପ୍ରେମ, ନା ପୁଅ ବୋହୁଙ୍କ ସେବା ନା ନାତି ନାତୁଣୀଙ୍କୁ ଦେଖିବାର ଭାଗ୍ୟ.
ଏହି ବିଷୟ ଟି ପଢ଼ୀ ନିଶ୍ଚୟ ମତାମତ ଦେବେ.


No comments:

Post a Comment

AI: Shaping the Future of Humanity |

AI: Shaping the Future of Humanity | In the grand tapestry of human innovation, few threads have proven as transformative as the...